ADD

Breaking News

ପୁଣି ମାଡ଼ି ଆସୁଛି ସଂକଟ ! ୭ ତାରିଖରୁ ପ୍ରବଳ ବର୍ଷା, ୧୮ଟି ଜିଲ୍ଲାରେ ବର୍ଷା ନେଇ ପୂର୍ବାନୁମାନ !!

pic Source : Google 
Bhubaneswar:  ଗତ ନଭେମ୍ବର ମାସ ମଧ୍ୟ ଭାଗରେ ଯେଉଁଭଳି ଅଦିନିଆ ବର୍ଷା ହୋଇଥିଲା, ଏଥର ତା’ର ପୁନରାବୃତ୍ତି ଘଟିବାର ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆଗାମୀ ୭ ତାରିଖରୁ ଆରମ୍ଭ ହୋଇପାରେ ବର୍ଷା । ପ୍ରଥମେ ଦକ୍ଷିଣ, ପରେ ଉପକୂଳ, ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ । ୧୦ କିମ୍ବା ଅତି ବେଶିରେ ୧୧ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା। ବର୍ଷା ପ୍ରବଳ କି ଅତି ପ୍ରବଳ ହେବ ସେ ନେଇ ରୂପରେଖ ସ୍ପଷ୍ଟ ହୋଇନାହିଁ ସତ, କିନ୍ତୁ ପାଣିପାଗ କେନ୍ଦ୍ର କହୁଛି ଯେ ଗତ ନଭେମ୍ବରର ଲଗାଣ ବର୍ଷା ଭଳି ଶୀତଦିନିଆ ବର୍ଷା କିଛି କିଛି ସ୍ଥାନରେ ୨/୩ ଦିନ ଧରି ଲାଗି ରହିବ। ଫଳରେ ଧାନ, ରବି ଫସଲ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ଉପୁଜିଛି । ୧୬ରୁ ୧୮ ଜିଲ୍ଲା ବର୍ଷା ଦ୍ୱାରା ପ୍ରଭାବିତ ହେବ। ଏ ନେଇ ଚାଷୀମାନଙ୍କୁ ସାବଧାନ କରିଦେଇଛନ୍ତି ସରକାର। ଗତକାଲି ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇଛନ୍ତି ।

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ ଅନୁସାରେ, ଗତକାଲି ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରର ଆଖପାଖ ଅଞ୍ଚଳରେ ସ୍ପଷ୍ଟଚିହ୍ନିତ ଲଘୁଚାପ କେନ୍ଦ୍ରୀଭୂତ ହୋଇରହିଛି । ୨୪ ଘଣ୍ଟାରେ ଏହା ଘନୀଭୂତ ହୋଇ ଅବପାତ ଏବଂ ୪୮ ଘଣ୍ଟାରେ ଭୀଷଣ ରୂପ(ଡିପ୍ ଡିପ୍ରେସନ୍)ରେ ପରିଣତ ହେବ । ଏହା ଘନୀଭୂତ ହୋଇ ଅବପାତର ରୂପ ନେବା ପରେ ତା’ର ପରବର୍ତ୍ତୀ ଗତି ଏବଂ ଓଡ଼ିଶା ଉପରେ ପ୍ରଭାବ ସଂପର୍କରେ ଚିତ୍ର ସ୍ପଷ୍ଟ ହେବ ବୋଲି କହିଛନ୍ତି କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁ । ଏଣୁ ଏହା ବାତ୍ୟା ରୂପ ନେଲେ ଦକ୍ଷିଣ ଆନ୍ଧ୍ର ପ୍ରଦେଶରୁ ଓଡ଼ିଶା ମୁହାଁ ହେବ କି ନାହିଁ ସେ କଥା କହିହେବ ନାହିଁ । ତେବେ ଏ ନେଇ ପାଣିପାଗ ବ୍ୟବସ୍ଥାର ଆକଳନ କରାଯାଉଛି ଯେ ଗତ ନଭେମ୍ବର ମାସରେ ଯେଉଁଭଳି ଓଡ଼ିଶାରେ ବର୍ଷିଥିଲା, ଏଥର ସେହି ଧରଣର ଲଗାଣ ବର୍ଷା ହେବ। ଅର୍ଥାତ୍ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। କିନ୍ତୁ ଅଳ୍ପ କିଛି ସ୍ଥାନରେ ଲଗାଣ ବର୍ଷା ଲାଗି ରହିବ । ଲଗାଣ ବର୍ଷା ହେଲେ ବୃଷ୍ଟିପାତ ପରିମାଣ ୭୦ ମିଲିମିଟର ପର୍ଯ୍ୟନ୍ତ ହୋଇପାରେ ବୋଲି ଡ. ସାହୁ କହିଛନ୍ତି ।

ସମ୍ଭାବ୍ୟ ବର୍ଷା ସଂପର୍କରେ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ୭ରେ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ରାୟଗଡ଼ା ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ୮ରେ ଦକ୍ଷିଣ ଜିଲ୍ଲାଗୁଡ଼ିକ ସହିତ ଖୋର୍ଧା, ନୟାଗଡ଼, ପୁରୀ, ଜଗତସିଂହପୁର ଜିଲ୍ଲାରେ, ୯ରେ ଗଂଜାମ, ଖୋର୍ଧା, ପୁରୀ, କଟକରେ ପ୍ରବଳ ବର୍ଷା ଏବଂ ଜଗତସିଂହପୁର, ନୟାଗଡ଼, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ୧୦ ତାରିଖରେ ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ଆଖପାଖ ଜିଲ୍ଲାରେ କାଁ ଭାଁ ବର୍ଷା ହେବ। ଦକ୍ଷିଣ ଜିଲ୍ଲାଗୁଡ଼ିକୁ ଛାଡ଼ିଦେଲେ ଆଉ ୨୪ ଘଣ୍ଟା ପରେ ସାରା ରାଜ୍ୟରେ ରାତିର ତାପମାତ୍ରା ବଢ଼ିବ ଏବଂ କମିବ ଦିନର ତାପମାତ୍ରା ।
ଗତକାଲି ରାଜସ୍ୱ ମନ୍ତ୍ରୀ ଶ୍ରୀ ମହାନ୍ତି ଭିଡିଓ କନ୍ଫରେନ୍ସିଂ ଯୋଗେ ଜିଲ୍ଲାପାଳମାନଙ୍କୁ କହିଥିଲେ, ସମ୍ଭାବ୍ୟ ବର୍ଷା ଯୋଗୁଁ ୧୬ରୁ ୧୮ଟି ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି । ଫଳରେ ଫସଲ କ୍ଷତି ଏଡ଼ାଇବା ସକାଶେ ପଦକ୍ଷେପ ନେବାକୁ ସେ ସେମାନଙ୍କୁ ନିର୍ଦେଶ ଦେଇଥିଲେ। ସମ୍ଭାବ୍ୟ ବର୍ଷା ଦୃଷ୍ଟିରୁ ଯେଉଁ ଚାଷ ଜମିରେ ଫସଲ କଟା ହୋଇ ପଡ଼ିରହିଛି, ତାକୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନେଇ ଆସିବାକୁ ହେବ । ଯେଉଁଠାରେ ଫସଲ ଅମଳ ହୋଇନାହିଁ, ସେଠାରେ ଯଥାଶୀଘ୍ର ଅମଳ କରିନେବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି । ଏ ନେଇ ଚାଷୀମାନଙ୍କୁ ବ୍ୟାପକ ଭାବେ ସଚେତନ କରିବାକୁ ଜିଲ୍ଲା ପ୍ରଶାସନ ଏବଂ କୃଷି ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି ଶ୍ରୀ ମହାନ୍ତି । ସୂଚନାଯୋଗ୍ୟ, ମରୁଡ଼ି, ଚକଡ଼ା ପୋକ, ଅଦିନିଆ ବର୍ଷା ଯୋଗୁଁ ଫସଲ ହାନି ପରିପ୍ରେକ୍ଷୀରେ ସରକାରଙ୍କ ତରଫରୁ ୭୧୮ କୋଟି ଟଙ୍କାର ଇନପୁଟ୍ ସବସିଡି ଦିଆଯାଇଛି । ଏହାର ଆବଣ୍ଟାନ ପ୍ରକ୍ରିୟା ତ୍ୱରାନ୍ଵିତ କରି ଆସନ୍ତା ୧୫ ତାରିଖ ସୁଦ୍ଧା ସଂପୂର୍ଣ୍ଣ ସହାୟତା ପ୍ରଦାନ କରିବାକୁ ମନ୍ତ୍ରୀ ନିର୍ଦେଶ ଦେଇଥିଲେ ।

No comments